ଦୀର୍ଘ ପ୍ରାୟ ୨୦ମାସ ପରେ ରାଜ୍ୟ ସରକାର ନିଜସ୍ୱ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ଆସନ୍ତା ୩ବର୍ଷ ପାଇଁ ଏହି ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି, ଯାହାକି ଏପ୍ରିଲ ୧ରୁ କାର୍ଯ୍ୟକ୍ଷମ ହେବ। ଏହି ନୂଆ ନୀତିରେ ମଦ୍ୟପାନକୁ ଏକ କ୍ଷତିକାରକ ଅଭ୍ୟାସ ଭାବେ ସରକାର ସ୍ୱୀକାର କରି ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫ ପ୍ରତିଶତ ‘ଡି ଆଡିକ୍ସନ ସେସ୍ ବା ନିଶା ନିବାରଣ କର’ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି।
ପୂର୍ବରୁ ପ୍ରଚଳିତ ବାର୍ଷିକ ଅବକାରୀ ନୀତି ବଦଳରେ ଏହି ତ୍ରୈବାର୍ଷିକ ନୀତି ମାଧ୍ୟମରେ ସରକାର ମଦ କାରବାରକୁ ଅଧିକ ନିୟନ୍ତ୍ରିତ କରିବା ସହ ରାଜ୍ୟରେ ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନ ଓ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ରହିବା ଉପରେ ମଧ୍ୟ କଟକଣା ଜାରି ହୋଇଛି। ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ବିଧାନସଭାରେ ଏହି ନୂଆ ଅବକାରୀ ନୀତି ସମ୍ପର୍କରେ ସୂଚନା ଦେଇଛନ୍ତି।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ନିଜସ୍ୱ ଅବକାରୀ ନୀତି ପ୍ରଣୟନ କରିପାରିନଥିଲା। ପୂର୍ବରୁ ବିଜେଡି ସରକାରର ଅବକାରୀ ନୀତିରେ ସାମାନ୍ୟ ପରିବର୍ତ୍ତନ କରି ଏହାକୁ କାମଚଳା ଭାବେ ଜାରି ରଖିଥିଲେ। କିନ୍ତୁ ଅବକାରୀ ମନ୍ତ୍ରୀ ଆଜି ବିଧାନସଭାରେ ବିଜେପି ସରକାରର ନିଜସ୍ୱ ତଥା ପ୍ରଥମ ଅବକାରୀ ନୀତି ଘୋଷଣା କରିଛନ୍ତି। ଯାହାକି ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଓ ୨୦୨୯ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ କୌଣସି ଅବକାରୀ ଦୋକାନ ଚାଲିବ ନାହିଁ। ସମଗ୍ର ରାଜ୍ୟରେ ଘରକୁ ମଦ ପହଂଚାଇବା ବା ‘ହୋମ୍ ଡେଲିଭରି’ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ନୂଆ ଅବକାରୀ ନୀତିରେ ରାଜ୍ୟରେ କୌଣସି ନୂଆ ‘ଅଫ୍ ସପ୍’, ଦେଶୀ ମଦ କିମ୍ବା ଆଉଟ-ଷ୍ଟିଲ୍ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଗ୍ରାମାଂଚଳରେ ମଧ୍ୟ ନୂଆ ‘ଅନ୍ ସପ୍ ‘ ଦୋକାନ ଖୋଲିବ ନାହିଁ। କେବଳ ଶିଳ୍ପାଂଚଳରେ ଥିବା ଥ୍ରୀଷ୍ଟାର ବା ତଦୁର୍ଦ୍ଧ ଷ୍ଟାର ହୋଟେଲ ଓ କ୍ଲବଗୁଡ଼ିକରେ ଏଭଳି ଅନୁମତି ମିଳିବ।
ସେହିପରି ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକରେ ‘ଏଫଏସଏସଏଆଇ’ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ମଦର ଚୋରା କାରବାର ରୋକିବା ପାଇଁ ସରକାର ‘ଟ୍ରାକ୍ ଆଣ୍ଡ ଟ୍ରେସ୍’ ପ୍ରଣାଳୀ ଓ ସିସିଟିଭି ବ୍ୟବସ୍ଥା ଲାଗୁ କରାଯିବ। ସମସ୍ତ ମଦ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନଗୁଡ଼ିକୁ ସିସିଟିଭି ନିରୀକ୍ଷଣ ଅଧୀନକୁ ଅଣାଯିବ ଯାହା ସିଧାସଳଖ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରୁ ତଦାରଖ ହୋଇପାରିବ।
ରାଜ୍ୟ ସରକାର ପ୍ରଥମଥର ପାଇଁ ନିଜର ଅବକାରୀ ନୀତିରେ ୦.୫ ପ୍ରତିଶତ ‘ଡି ଆଡିକସନ୍ ସେସ୍’ ବା ‘ନିଶା ନିବାରଣ କର’ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ରାଜ୍ୟ ସରକାର ମଦକୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରିଛନ୍ତି। ତେବେ ଏହି ଅତିରିକ୍ତ ସେସରୁ ଆଦାୟ ହେଉଥିବା ସମସ୍ତ ଅର୍ଥକୁ ରାଜ୍ୟରେ ମଡେଲ ନିଶାମୁକ୍ତି କେନ୍ଦ୍ର ସ୍ଥାପନ ଓ ପରିଚାଳନା ପାଇଁ ବ୍ୟୟ କରିବେ ବୋଲି ସୂଚନା ଦିଆଯାଇଛି। ନୂଆ ନୀତି ଅନୁସାରେ, ପ୍ରତିବର୍ଷ ଲାଇସେନ୍ସ ଶୁଳ୍କରେ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ। ଏହାସହିତ ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କୁ ୧୦ପ୍ରତିଶତ ବୃଦ୍ଧି କରାଯାଇଛି। ବିଦେଶୀ ମଦ(ଆଇଏମଏଫଏଲ) ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଥିବାରୁ ବଜାରରେ ମଦର ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ସ୍ୱରୂପ ନୂଆ ଅବକାରୀ ନୀତିରେ ମଦ ବ୍ୟବସାୟୀଙ୍କ ପାଇଁ ପ୍ରଚଳିତ ‘ଏମଜିକ୍ୟୁ ବା ସର୍ବନିମ୍ନ ନିଶ୍ଚିତ ପରିମାଣ’କୁ ହଟାଇ ଦେଇ ସର୍ବନିମ୍ନ ନିଶ୍ଚିତ ଅବକାରୀ ରାଜସ୍ୱ (ଏମଜିଇଆର) ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ବ୍ୟବସାୟୀଙ୍କ ଉପରେ ବିକ୍ରି ପରିମାଣ ବୃଦ୍ଧି ପାଇଁ ରହୁଥିବା ଅଯଥା ଚାପ ହ୍ରାସ ପାଇବ ଓ ଅବୈଧ ‘କୁଚିଆ’ ବିକ୍ରୟ ପ୍ରଥା ଉପରେ ମଧ୍ୟ କଟକଣା ଲାଗିବ। ଏଥିସହ ଓଏସ୍ ୟୁନିଟଗୁଡ଼ିକର ଆଧୁନିକୀକରଣ, ଉନ୍ନତ ପ୍ୟାକେଜିଂ ଓ ଏଫଏସଏସଏଆଇ ସାର୍ଟିଫିକେସନକୁ ବାଧ୍ୟତାମୂଳକ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ସାରୁଥିବା ୟୁନିଟଗୁଡ଼ିକୁ ସରକାର ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରିବେ। ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାରଗୁଡ଼ିକୁ ମଧ୍ୟ ଅଧିକ ଶକ୍ତିଶାଳୀ ଓ ଆଧୁନିକ କରାଯିବ ବୋଲି ନୂଆ ନୀତିରେ ବ୍ୟବସ୍ଥା କରାଯାଇଛି।
