ରାଜ୍ୟସଭା ନିର୍ବାଚନ ସରି ଯାଇଛି। ହେଲେ ଏଥିରୁ ଉଠିଥିବା ଧୂଆଁ ଥମିବାର ନାଁ ନେଉନି। ନିର୍ବାଚନ ପୂର୍ବରୁ ପ୍ରଥମେ ବାପା ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଏହା ପରେ କ୍ରସ ଭୋଟିଂ କରି ପୁଅ ତଥା ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ନିଲମ୍ବିତ ହୋଇଛନ୍ତି। ଏହା ପରେ କଟକ ବିଜେଡି ଏକପ୍ରକାର ଅସ୍ଥିତ ହୋଇ ଉଠିଛି। ସୌଭିକଙ୍କ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି କଟକ ବିଜେଡିର କର୍ମୀ। ନିଷ୍ପତ୍ତିକୁ ବିରୋଧ କରି ପ୍ରଭାତ ବିଶ୍ୱାଳଙ୍କ ଘରେ ରୁଦ୍ଧଦ୍ବାର ବୈଠକ କରିଛନ୍ତି ବିଜେଡିର ୧୪ କର୍ପୋରେଟର।
ଆଜି ବୈଠକରେ ଯୋଗ ଦେଇଥିବା କିଛି କର୍ପୋରେଟର ଖୋଲାଖୋଲି ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ। ବୈଠକରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଦମୟନ୍ତୀ ମାଝୀ, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ବିଶ୍ଵ ବନ୍ଦିତା ପଣ୍ଡା, ପଦ୍ମିନୀ ସାହୁ, ସୁବ୍ରତ ଘଡେ଼ଇ, ମଧୁସ୍ମିତା ବାରିକ, ପ୍ରଦୀପ ସାହୁ, ତାପସ ରଞ୍ଜନ ସାମନ୍ତରାୟ, ପ୍ରମିଳା ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି।
ବର୍ତ୍ତମାନ ସିଏମସିରେ ୫୯ କର୍ପୋରେଟର ଥିବା ବେଳେ ଚୌଦ୍ବାର କଟକରୁ ଅଛନ୍ତି ୧୪ ଜଣ। ବିଜେଡିର ମୋଟ କର୍ପୋରେଟର ଅଛନ୍ତି ୪୨ ଜଣ। କଟକ ଚୌଦ୍ବାର ସବୁ କର୍ପୋରେଟରଙ୍କ ଦାୟିତ୍ବ ପ୍ରଭାତ ବିଶ୍ବାଳ ନେଇଥିବା ବେଳେ କଟକ ବାରବାଟୀର ସବୁ ରର୍ପୋରେଟଙ୍କ ଦାୟିତ୍ବ ନେଇଛନ୍ତି ପ୍ରଭାତ ତ୍ରିପାଠୀ। ଆଗକୁ ଦୁଇ ପ୍ରଭାତ ମିଶି ସିଏମସିରେ କମ୍ପନ ସୃଷ୍ଟି କରିପାରନ୍ତି। ଏମାନେ ମେୟର ସୁବାସ ସିଂଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ଜଣାପଡିଛି। ଏବେ କଂଗ୍ରେସରୁ ୮ ଏବଂ ବିଜେପିରୁ ମଧ୍ୟ ୮ ଜଣ କର୍ପୋରେଟର ଅଛନ୍ତି । ଏହାଛଡା ୨ ଜଣ ସ୍ବାଧୀନ କର୍ପୋରେଟର ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏଭଳି ହେଲେ ମେୟର ସୁବାସ ସିଂଙ୍କ ଆସନ ଟଳମଳ ନିଶ୍ଚିତ । ସେପଟେ ମେୟର ସୁବାସ ସିଂ କହିଛନ୍ତି ଜଣେ ଦୁଇ ଜଣ କର୍ପୋରେଟର ପଳାଇଲେ କିଛି ଫରକ ପଡିବନି।
ସୁବାସଙ୍କ ବିରୋଧରେ ଅନାସ୍ଥା ଆଣିବେ ପ୍ରଭାତ !
