ଶଙ୍ଖ ଫୁଙ୍କିବେ ରଘୁ ଓ ଜୀବନ

Advertisement

ଖୁବଶୀଘ୍ର ଫେରିବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ଏନେଇ ବିଜେଡି ସଭାପତିଙ୍କ ସହ ପ୍ରାରମ୍ଭିକ ଆଲୋଚନା ସରିଛି, ଖୁବଶୀଘ୍ର ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବେ। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିକୁ ଯିବା ପରେ ଦଳୀୟ ସଂଗଠନ ସମ୍ଭାଳିବାକୁ ଏହି ଦୁଇ ନେତାଙ୍କ ଦଳକୁ ଫେରାଇ ଆଣିବାକୁ ଯୋଜନା ହୋଇଥିବା ଜଣାପଡିଛି।
ଏକଦା ବିଜେଡିର ପାଓ୍ବାରଫୁଲ ମନ୍ତ୍ରୀ ଥିଲେ ରଘୁନାଥ ମହାନ୍ତି। ସେ ବସ୍ତା ନିର୍ବାଚନମଣ୍ଡଳୀରୁ ଲଗାତର ୧୯୯୦ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ୨୦୧୩ରେ ତାଙ୍କ ବୋହୁ ବର୍ଷା ସୋନୀ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିବାରୁ ରଘୁ ମହାନ୍ତି ୨୦୧୪ରେ କୋଲକାତାରୁ ଗିରଫ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇ ପୁଣି ଥରେ ବସ୍ତାରୁ ଲଢି ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କ ଠାରୁ ହାରିଯାଇଥିଲେ। ୨୦୨୪ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିଲା। ଯେଉଁଥିପାଇଁ ୨୦୨୪ ଏପ୍ରିଲ ମାସରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।
ସେହିଭଳି ଜୀବନ ପ୍ରଦୀପ ଦାସ ଆରମ୍ଭରୁ ବିଜେପିରେ ଥିଲେ। ସେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ବରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ସେ ବିଜେଡିରେ ଯୋଗଦେଇ ୨୦୦୯ ଓ ୨୦୧୪ରେ ଜିତିଥିଲେ। ୨୦୧୯ରେ ସେ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତଙ୍କ ଠାରୁ ହାରିଯାଇଥିଲେ। ୨୦୨୦ରେ ମଦନମୋହନଙ୍କ ମୃତ୍ୟୁ ପରେ ହେବାକୁ ଥିବା ଉପନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଦୌଡରେ ଥିଲେ। କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ ନକରି ସ୍ବରୂପ ଦାସଙ୍କୁ ଟିକେଟ ଦେଇଥିଲା। ସେହି ଉପନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିବାରୁ ତାଙ୍କୁ ୨୦୨୦ ନଭେମ୍ବରରେ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହେବା ପରେ ସେ ଘରବାହୁଡା କରିଥିଲେ। କିନ୍ତୁ ୨୦୨୪ରେ ତାଙ୍କୁ ବିଜେପି ଟିକେଟ ଦେଲାନି। ଏପରିକି ନିକଟରେ ରବୀନ୍ଦ୍ର ଜେନା ବିଜେପିରେ ମିଶିବାରୁ ସେ ପଦ୍ମ ଛାଡିବାକୁ ବାଧ୍ୟ ହୋଇଥିଲେ। ଏବେ ବିଜେଡି ବାଲେଶ୍ବର ଜିଲ୍ଲାର ଏହି ଦୁଇ ନେତାଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଯୋଜନା କରୁଛି। କାରଣ ଜିଲ୍ଲାରେ ରବୀନ୍ଦ୍ରଙ୍କୁ ଟକ୍କର ଦେବାକୁ ଆଉ ନେତା ନାହାଁନ୍ତି।

Advertisement

Advertisement

Leave a Reply

Your email address will not be published. Required fields are marked *