ରାଜ୍ୟସଭା ନିର୍ବାଚନରେ ବିଡେଡିର ୬ଜଣ ବିଧାୟକ କ୍ରସ ଭୋଟିଂ କରିବା ଘଟଣାକୁ ନେଇ ଦଳ ଏବେ ବିଭାଜନ ଆଡକୁ ଗତି କରୁଛି। ଖୋଦ ବିଜେଡି ବିଧାୟକମାନଙ୍କ ବିରୋଧରେ ଯୁବ ଓ ଛାତ୍ର ବିଜେଡି ନେତା ଓ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସେମାନେ ଦଳର ବିଧାୟକଙ୍କୁ ଇସ୍ତଫା ଦେଇ ଉପନିର୍ବାଚନର ସମ୍ମୁଖୀନ ହେବାକୁ ଆହ୍ବାନ ଦେଇଛନ୍ତି। ରାସ୍ତାରେ ବିଜେଡିର ନେତା ଓ କର୍ମୀ ପରସ୍ପର ବିରୋଧରେ ନାରାବାଜୀ କରିବା ସହ ମୁହାଁମୁହିଁ ହୋଇଛନ୍ତି।ରାଜ୍ୟ ବିଜେଡିରେ ଏବେ ଏକ ବିଚିତ୍ର ସ୍ଥିତି। ଆଲୋ ସଖୀ ଆପଣା ମହତ ଆପେ ରଖି ନ୍ୟାୟରେ ଦଳ ଭିତରେ ଯେଉଁ ବିବାଦର ସମାଧାନ ବା ପ୍ରତିକାର ହେବା କଥା ତାହା ନକରି ଏବେ ବିଜେଡିର ଯୁବ ଓ ଛାତ୍ର ନେତା ଓ ତାଙ୍କ ସହଯୋଗୀମାନେ ରାସ୍ତାକୁ ଓହ୍ଲାଇପଡିଛନ୍ତି। ଆଉ ପ୍ରମାଣିତ କରିଦେଇଛନ୍ତି ଯେ, ଦଳ ଏବେ ଆଉ ଏକ ହୋଇ ନାହିଁ। ଦଳ ଏବେ ସମାନ୍ତରାଳ ବିଭାଜନମୁଖୀ ହୋଇଛି। ବିଜେଜି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ବାସଭବନକୁ ଦଳର ଯୁବ ଓ ଛାତ୍ର ନେତାମାନେ ଘେରାଉ କରିବା ଏବଂ ସେଠାରେ ଆଉ କିଛି ଯୁବ ନେତା ତାଙ୍କୁ ପ୍ରତିରୋଧ କରିବା ଘଟଣାରୁ ଏହା ପ୍ରମାଣିତ ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି।
ଏହି ଘଟଣା କେବଳ ଭୁବନେଶ୍ବରରେ ହୋଇନି। ବାଲେଶ୍ବରରେ ବିଜେଡି କର୍ମୀ ବସ୍ତାର ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ଜୟଦେବ ନିର୍ବାଚନମଣ୍ଡଳୀରେ ବିଧାୟକ ନବ କିଶୋର ମଲ୍ଲିକଙ୍କ ବିରୋଧରେ ଦଳୀୟ କର୍ମୀ କରିଛନ୍ତି ସ୍ଲୋଗାନବାଜୀ। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ଏହି ଛଅ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। କେବଳ କାରଣ ଦର୍ଶାଅ ନୋଟିସ ଜାରି କରିଛି। କିନ୍ତୁ କାହା ଇଙ୍ଗୀତରେ ଦଳର ବିଧାୟକଙ୍କୁ ଦଳୀୟ କର୍ମୀ ବିରୋଧ କରି ଦଳର ଭାବମୁର୍ତ୍ତୀକୁ କ୍ଷୁର୍ଣ୍ଣ କରୁଛନ୍ତି ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ରାଜନୈକି ସମୀକ୍ଷକମାନେ।ସେପଟେ ବିଜେଡି ଯୁବ ଓ ଛାତ୍ର ନେତାଙ୍କୁ କଡା ଜବାବ ଦେଇଛନ୍ତି ଦେବୀ ତ୍ରିପାଠୀ। ସେ ସିଧାସଳଖ କହିଛନ୍ତି ଯେ, ବିଜେଡିର ଗଠନ ଅଣକଂଗ୍ରେସ ଆଭିମୁଖ୍ୟକୁ ନେଇ ଗଠନ କରାଯାଇଥିଲା। ହେଲେ କଂଗ୍ରେସ ସହ ମେଣ୍ଟ କରି ବିଜେଡି ସେ ଆଭିମୁଖ୍ୟରୁ ଦୂରେଇ ଯାଇଛି।
ଏଥିସହିତ ଦଳ ପ୍ରତି ଯାହାର ସାମାନ୍ୟତମ ଅବଦାନ ନାହିଁ, ସେଭଳି ଜଣେ ନେତା ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯିବା ପ୍ରମାଣିତ କରୁଛି ଯେ, ନବୀନ ପଟ୍ଟନାୟକ ଏକ ନିର୍ଦ୍ଧିଷ୍ଟ କୋଟେରୀର ବଶବର୍ତ୍ତୀ ହୋଇ କାମ କରୁଛନ୍ତି। ସେ କହିଛନ୍ତି ଯେ, ସେ ଦଳ କିମ୍ବା ନବୀନ ପଟ୍ଟନାୟକଙ୍କୁ ବିରୋଧ କରୁନାହାଁନ୍ତି। ସେ ଏବେ ବି ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି। କିନ୍ତୁ ଯେଉଁ କୋଟେରୀ ଦଳର ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେଉଛନ୍ତି ସେମାନଙ୍କୁ ସେ ବିରୋଧ କରୁଥିବା କହିଛନ୍ତି। ଦଳ ପକ୍ଷରୁ ଯେଉଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି, ନିର୍ଦ୍ଧିରିତ ସମୟରେ ତାର ସେ ଉତ୍ତର ଦେବେ ବୋଲି ମଧ୍ୟ କହିଛନ୍ତି।
