‘ଡି-ଲିମିଟେସନ’ ପ୍ରକ୍ରିୟାରେ ଓଡ଼ିଶାର ପ୍ରତିନିଧିତ୍ୱ କମିବାର ପ୍ରଶ୍ନ ଉଠୁନାହିଁ – ଧର୍ମେନ୍ଦ୍ର ପ୍ରଧାନ

Advertisement

ଓଡ଼ିଶାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟର ସାଂସଦମାନଙ୍କୁ ପତ୍ର ଲେଖି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ନେଇ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି, ତାହା କେବଳ ଭୟ ସୃଷ୍ଟି କଲା ଭଳି ମନେହେଉଛି । ତାଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କ ପାଖରୁ ଏଭଳି ପ୍ରତିକ୍ରିୟା ଶୋଭା ପାଉନାହିଁ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଏହି ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ । ଭାରତର ସମ୍ବିଧାନ ଏବଂ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍ । ଦେଶର କୌଣସି ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ଏବଂ ଓଡ଼ିଶାର ହକ୍ ମଧ୍ୟ ଏଥିରୁ ବାଦ୍ ପଡ଼ିବ ନାହିଁ ।

Advertisement

ନୂତନ ସୀମା ନିର୍ଦ୍ଧାରଣ ବା ‘ଡି-ଲିମିଟେସନ’ ପ୍ରକ୍ରିୟା ପରେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯% ରୁ ହ୍ରାସ ପାଇ ୩.୪% ହୋଇଯିବ ବୋଲି ଆପଣ ଚିଠିରେ ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିଯିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟର ଜନସାଧାରଣଙ୍କୁ ଭୟଭୀତ କରିବା ଉଚିତ୍ ହେଉନାହିଁ । ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ, କେବଳ ଧୈର୍ଯ୍ୟର ସହ ଅପେକ୍ଷା କରିବା ଆବଶ୍ୟକ ।

ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏବଂ ତାଙ୍କର ଦଳ ବିଜେଡି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସମର୍ଥନ କରିବା ସ୍ୱାଗତଯୋଗ୍ୟ, କିନ୍ତୁ ଏହାକୁ ଖୋଲା ହୃଦୟରେ ଆମେ ସମସ୍ତେ ସମର୍ଥନ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଶା ସବୁବେଳେ ଅଗ୍ରାଧିକାରରେ ରହିଆସିଛି । ଏହି ସଂଶୋଧନ ବିଲ୍ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଭାରତବର୍ଷର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ । ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ, ଦେଶର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ରାଜନୈତିକ ଫାଇଦା ଅପେକ୍ଷା ଦେଶର ସ୍ୱାର୍ଥକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *