ସୁଶାନ୍ତ ସିଂଙ୍କ ପରଲୋକ

Advertisement

ବିଜେଡିର ବରିଷ୍ଠ ଯୁବନେତା, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ସର୍ବୋପରି ବିଜେଡି ଜଣେ ଦକ୍ଷ ସଂଗଠକକୁ ହରାଇଛି ।

ସୁଶାନ୍ତ ସିଂ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । କିଛି ମାସ ଧରି ରାଜ୍ୟ ବାହାରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେଠାରୁ ଫେରି ମଝିରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇଥିଲେ । କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭୀଷଣ ବିଗିଡ଼ି ଯାଇଥିଲା । ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।

ପଶ୍ଚିମ ଓଡ଼ିଶାର ଅତି ପରିଚିତ ନାମ ଥିଲେ ସୁଶାନ୍ତ ସିଂ । ଜଣେ ପରୋପକାରୀ ଏବଂ ସୁସଂଗଠକ ଭାବେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିଲା । ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନକୁ ଶକ୍ତିଶାଳୀ କରିବାରେ ତାଙ୍କର ଥିଲା ଯଥେଷ୍ଟ ଅବଦାନ । ୨୦୦୯ ମସିହାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଏବଂ ୨୦୧୯ ରେ ମଧ୍ୟ ସେ ତାଙ୍କର ବିଜୟଧାରା ବଜାୟ ରଖିଥିଲେ । କିନ୍ତୁ, ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କଠାରୁ ୨୭, ୮୯୨ ଖଣ୍ଡ ଭୋଟରେ ହାରିଥିଲେ ।

ଜନସମ୍ପର୍କ ଓ ସାଂଗଠନିକ ଦକ୍ଷତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହ ଦଳରେ ତାଙ୍କର ଗୁରୁତ୍ୱ ବଢ଼ାଇ ଦେଇଥିଲା । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଚତୁର୍ଥ ପାଳି ସରକାରରେ ତାଙ୍କୁ ଶ୍ରମ ବିଭାଗର ରାଷ୍ଟ୍ରମନ୍ତ୍ରୀ କରିଥିଲେ । ପଞ୍ଚିମ ପାଳିରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦୋନ୍ନତି ଦେବା ସହ ଗ୍ରାମ୍ୟ ଉନ୍ନୟନ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଥିଲେ । ସାଂଗଠନିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦେଇଥିଲେ ।

ପଶ୍ଚିମ ଓଡ଼ିଶାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ସୁଶାନ୍ତ ସିଂ ଥିଲେ ବିଜେଡିର ପ୍ରମୁଖ ଚେହେରା । ସରଳ ଓ ସାଧାସିଧା ସ୍ୱଭାବର ସୁଶାନ୍ତଙ୍କର ପ୍ରବଳ ଇଚ୍ଛାଶକ୍ତି ସାଙ୍ଗକୁ ଦୃଢ଼ ମନୋବଳ ଓ ପରୋପକାର ମନୋଭାବ ତାଙ୍କୁ ରାଜନୀତିରେ ଶୀର୍ଷକୁ ନେଇଥିଲା । ତାଙ୍କ ମୃତ୍ୟୁ ପଶ୍ଚିମ ଓଡ଼ିଶା ପାଇଁ ଅପୁରଣୀୟ କ୍ଷତି ଆଣିଛି ।

Advertisement

Leave a Reply

Your email address will not be published. Required fields are marked *