ଲାଞ୍ଚ ନେଇ ଗିରଫ ହୋଇଥିଲେ : ଏବେ ଚକମାଙ୍କୁ ୱେଲକମ୍

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ତତ୍‌କାଳୀନ ଉପଜିଲ୍ଲାପାଳ ତଥା ବହୁ ଚର୍ଚ୍ଚିତ ଯୁବ ଆଇଏଏସ୍ ଅଫିସର୍ ଧିମାନ୍ ଚକମାଙ୍କୁ ଲୋକସେବା ଭବନରେ ନିଯୁକ୍ତି। ଏହି କରିତ୍‌କର୍ମା ଆଇଏଏସ୍ ଅଫିସର୍ ଚକମା ଓଡ଼ିଶାବାସୀଙ୍କୁ ଚକମା ଦେଖାଇ ପୁଣିଥରେ ଫେରିଛନ୍ତି ପ୍ରଶାସନିକ ସେବାକୁ । ତାଙ୍କୁ ୱେଲକମ୍ କରିଛି ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ। ଏହି ଯୁବ ଆଇଏଏସ୍ ଅଫିସର୍ ଗତ ବର୍ଷ ଜୁନ୍ ୧୦ ତାରିଖ ଦିନ ଏକ ଲଘୁ ଖଣିଜ ମାଲିକଙ୍କ ଠାରୁ ଦାବି କରାଯାଇଥିବା ୨୦ ଲକ୍ଷ ଟଙ୍କାର ଲାଞ୍ଚ ବାବଦକୁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଡିପାର୍ଟମେଣ୍ଟର ଏହା ଥିଲା ଅନ୍ୟତମ ସର୍ବାଧିକ ଲାଞ୍ଚ ଟଙ୍କା ଜବତ ମାମଲା ।

ଏପରିକି ଚକମାଙ୍କ ସରକାରୀ ବାସଭବନରୁ ମିଳିଥିଲା ଆୟ ବହିର୍ଭୂତ ନଗଦ ୪୭ ଲକ୍ଷ ଟଙ୍କା। ଏପରି ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ବିଭାଗ ବି ଚକମାଙ୍କ ଚକମା ଦେଖି ଟେରା ହୋଇଯାଇଥିଲା। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ୍ ଧିମନ ଚକ୍ରମାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସେ ୪୪ ଦିନ ଜେଲରେ ରହିଲେ। ଜୁଲାଇ ୨୪, ୨୦୨୫ରେ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନରେ ମୁକଳୁଳିଥିଲେ। ଏପରିକି ତାଙ୍କର ଆୟବହିର୍ଭୂତ ସମ୍ପତି ନେଇ ରାଜ୍ୟ ବାହାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।

୨୦୨୧ର ଆଇଏସ୍ ଚକମା ବାବୁ ତ ଯିଏ କ୍ରସର୍ ମାଲିକଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଥିଲେ । ଏହାପୂର୍ବରୁ ସେ ୨୦୧୯ରେ ଓଡ଼ିଶା କ୍ୟାଡର୍ ଆଇଏଫ୍ଏସ୍ ପାଇ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଆଡିସନାଲ୍ ଚିଫ୍ କନଜରଭେଟର୍‌ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେହିବର୍ଷ ସେ ଆଇଏଏସ୍ ପାଇବା ପରେ ତାଲିମ ଯାଇ ୨୦୨୪ରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ତେବେ ଏତେ ବଡ଼ ଲାଞ୍ଚ କାରବାରରେ ଧରାପଡ଼ି ବଦ୍‌ନାମ ମୁଣ୍ଡାଇଥ‌ିଲେ।କିନ୍ତୁ ଏବେ ତାଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପୁଣି ଥରେ ଥଇଥାନ କରିବା ଘଟଣା ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।

Leave a Reply

Your email address will not be published. Required fields are marked *