ବିଜୁଙ୍କ ଅସମ୍ମାନ, ବିଧାନସଭାରେ ଉଦବେଗ

Advertisement

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ଗର୍ଜିଛି ବିଜେଡି। ବିଜେପି ସାଂସଦଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଣିବାକୁ ନୋଟିସ ଦେଇଥିଲେ ବିରୋଧୀ ଦଳ। ଏହାକୁ ବାଚସ୍ପତି ଗ୍ରହଣ କରି କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରିବେ ବୋଲି କହିଛନ୍ତି। ବିଜୁ ବାବୁଙ୍କୁ ଅସମ୍ମାନକୁ ଶାସକ ବିଜେପି ଦଳ ମଧ୍ୟ ଗ୍ରହଣ କରିପାରିନି। ଖୋଦ ଆଇନ ମନ୍ତ୍ରୀ ଏହା ଦଳର ମତ ନୁହେଁ ବୋଲି ସ୍ପଷ୍ଟ କରିବା ସହ ଏହା ଉପରେ ଅଧିକ ମତ ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି।

ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ନିନ୍ଦା ପ୍ରସ୍ତାବ ନୋଟିସକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଫଳରେ ପ୍ରଶ୍ନକାଳ ୧୦ଟା ୫୨ରୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବି ହୋଇଥିଲା। ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ବିଜୁ ବାବୁଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଓଡିଆ ଜାତିର ଅଭିମାନ ଓ ସ୍ବାଭିମାନ ପ୍ରତି କୁଠାରଘାତ। କାରଣ ବିଜୁ ପଟ୍ଟନାୟକ ଥିଲେ ଓଡିଆ ଅଭିମାନ ଓ ସ୍ବାଭାମାନର ପ୍ରତୀକ।

Advertisement

ଓଡିଆଙ୍କ ସ୍ବାଭିମାନ କଥା କହୁଥିବା ଜାତି ବିଜୁ ବାବୁଙ୍କ ହୋଇଥିବା ଅସମ୍ମାନର ନିରବଦ୍ରଷ୍ଟା ହୋଇ ରହିପାରିବ ନାହିଁ ବୋଲି ସେ କହିଥିଲେ। ଏଥିସହିତ ବିଜୁ ପଟ୍ଟନାୟକ ଓଡିଶା ବିଧାନସଭାକୁ ଅର୍ଦ୍ଧଶତାବ୍ଦୀ ଧରି ପ୍ରତିନିଧିତ୍ବ କରୁଥିଲେ। ତେଣୁ ତାଙ୍କ ପ୍ରତି ଅପମାନକୁ ଏ ଗୃହ ମଧ୍ୟ ସହ୍ୟ କରିବା ଅନୁଚିତ। ତେଣୁ ବିଜେଡି ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଦିଆଯାଇଥିବା ନୋଟିସକୁ ଗ୍ରହଣ କରି ଓଡିଶା ବିଧାନସଭାରେ ଦୁବେଙ୍କ ବିରୋଧରେ ନନ୍ଦା ପ୍ରସ୍ତାବ ଅଣାଯାଉ ବୋଲି ସେ ଦାବି କରିଥିଲେ।

ସେହିଭଳି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କଡା ଭାଷାରେ ନିନ୍ଦା କରିଥିଲେ। ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟ ଏକ କୁତ୍ସିତ ମାନସିକତା। ଦୁବେଙ୍କୁ ଏଭଳି ମନ୍ତବ୍ୟ ଦେବା ପାଇଁ ବିଜେପି ତରଫରୁ ନିୟୋଜିତ କରାଯାଇଛି ବୋଲି ଧରିନିଆଯିବ ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗୃହରେ ମନ୍ତବ୍ୟକୁ ଅଗ୍ରାହ୍ୟ ନକରୁଛନ୍ତି। ସେହିଭଳି ପ୍ରମିଳା ମଲ୍ଲିକ କହିଥିଲେ ଯେ, ବିଜୁ ବାବୁଙ୍କୁ ଛାଡି ଓଡ଼ିଆ ଅସ୍ମିତା ପରିକଳ୍ପନା କରାନଯାଇ ପାରେ। ଜଣେ ଝଡଖଣ୍ଡ ନେତା ବିଜୁ ପଟନାୟକ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପିର ୨୦ଜଣ ସାଂସଦ କାହିଁକି ଚୁପ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି l ମହାପୁରୁଷଙ୍କୁ ଅପମାନ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଗୃହ ବାହାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସଂସଦ ବାହାରେ ସାଂସଦ ନିଶିକାନ୍ତ ଦୁବେ ଯେଉଁ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି ତାହା ସରକାରଙ୍କ ଜ୍ଞାନକୁ ଆସିଛି। ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ମତ, ଏଭଳି ଏକ ମନ୍ତବ୍ୟ ଅପରିମାଣଦର୍ଶୀ ମନ୍ତବ୍ୟ କୌଣସି ମତେ ଗ୍ରହଣୀୟ ନୁହେଁ। ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଆମ ସମସ୍ତଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ଆଉ ଯେପରି କେହି ନଦେବେ ସେଥିପାଇଁ ଆମେ ନିବେଦନ କରୁଛୁ। ଏହାକୁ ନେଇ କୌଣସି ରାଜନୀତି କରିବା ବିଜୁଙ୍କ ସମ୍ମାନ ପ୍ରତି ଏହା ଆଘାତ ଦେବ ବୋଲି ସେ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *