ଜଗତସିଂହପୁରରେ ମାନବ ଚାଲାଣ, ୬ ଯୁବତୀଙ୍କ ସହ ୩୦ ଯୁବକ ଅଟକ

Advertisement

ମାନବ ଚାଲାଣ ଅଭିଯୋଗରେ ଜଗତସିଂହପୁର ଜିଲା ସଦର ଥାନା ହାଟ ବଜାର ନିକଟରେ ଏକ କୋଠା ଉପରେ ଗତକାଲି ଜଗତସିଂହପୁର ପୋଲିସ ଚଢ଼ାଉ କରି ୬ ଜଣ ଅଣ ଓଡ଼ିଆ ଯୁବତୀଙ୍କ ସହ ୩୦ ଜଣରୁ ଉର୍ଦ୍ଧ ଯୁବକଙ୍କୁ ଉଦ୍ଧାର କରିଛି। ଏଥି ସହ ମୁଖ୍ୟ ଅଭିଯୁକ୍ତ ଏରସମା ଥାନା କୁଞ୍ଜ କୋଠି ଗାଁର ମଦନ ଘଡେଇ ଓ ତାର ଅନ୍ୟ ଚାରି ଜଣ ସହଯୋଗୀଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି । ଏହା ବ୍ୟତୀତ ସେହି ସ୍ଥାନରୁ କିଛି କସମେଟିକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ମଦନ ଘଡେଇ ଏମାନଙ୍କ ଠାରୁ ଜଣ ପିଛା ୨୦ ହଜାର ଟଙ୍କା ଲେଖାଏଁ ନେଇ ଏମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରୀ କରାଇ ଦେବ କହି ଏଠାରେ ଆଣି ରଖିଥିଲା ବୋଲି ଉଦ୍ଧାର ଯୁବକ ଯୁବତୀ ମାନେ କହିଛନ୍ତି । ଏଥି ସହିତ ପ୍ରତ୍ୟକ ଯୁବକ ଯୁବତୀ ମାନେ ଆଉକିଛି ପିଲା ଆଣିବା ପାଇଁ ଚାପ ପ୍ରୟୋଗ କରିଥିଲେ ଅଭିଯୁକ୍ତ।

ଏହାସହ ତାଙ୍କୁ ଘର ଘର ବୁଲି କସମେଟିକ ସାମଗ୍ରୀ ବିକ୍ରି କରିବାକୁ କୁହା ଯାଉଥିଲା। ପରେ ଏମାନଙ୍କୁ ଏଠାରେ ନିର୍ୟାତନା ଦିଆଯିବା ସହ ନଜର ବନ୍ଦୀରେ ରଖା ଯାଉଥିଲା । ଘର ଲୋକଙ୍କ ସହ ଯୋଗାଯୋଗ କରେଇ ଦିଆଯାଉନଥିବା ସହ ଏକ କମ୍ପାନୀର କିଛି ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ କରାଯାଉଥିଲା । ଉଦ୍ଧାର ଯୁବକ ଯୁବତୀ ମାନେ ପଶ୍ଚିମବଙ୍ଗ ଓ ବିହାର ଆଦି ରାଜ୍ୟର ବୋଲି ଜଣାଯାଇଛି । ଅଭିଯୁକ୍ତ ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନେଟୱାର୍କ ବିଛାଇ ଚାକିରି ଆଶାୟୀ ନିରୀହ ଯୁବକ ଓ ଯୁବତୀ ମାନଙ୍କୁ ଆଣି ଏହି କାର୍ଯ୍ୟରେ ଲଗାଉଥିଲେ। ଦୁଇ ଦିନ ତଳେ ପଶ୍ଚିମବଙ୍ଗ ର ଜନୈକ ବ୍ୟକ୍ତିଙ୍କ ପୁଅ ନିଖୋଜ ହୋଇଥିବାର ଅଭିଯୋଗକୁ ଭିତି କରି ପୋଲିସ ଅନୁସନ୍ଧାନ କରିବା ସହ ମୋବାଇଲ ଲୋକେସନକୁ ଭିତ୍ତି କରି ଏହି କୋଠା ଉପରେ ଚଢ଼ାଉ କରିଥିଲା । ଅଧିକ ତଦନ୍ତ ପରେ ସବୁ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ଆଜି ଏକ ପ୍ରେସ ମିଟ ରେ ଏସ୍ପି କହିଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *