ନନା ବନିଲେ, ଦାନା ନେବେ !

Advertisement

ଏଥର ଗୁଳି ର ଜବାବ ଗୁଳିରେ ଦେବ ପୋଲିସ । ଡିଜିପିଙ୍କ ଚରମ ଚେତାବନୀ ପରେ ଛନକା ଅପରାଧୀ । ଦମନଲୀଳା ପାଇଁ ଏସପି ମାନଙ୍କୁ କଡା ନିର୍ଦ୍ଦେଶ । ସ୍କାନରରେ ଜେଲ ଫେରନ୍ତା ଓ ତଡିପାର ଅପରାଧୀ । ବେହାଲ ଓଡିଶା, ବେଫିକର କ୍ରିମିନାଲ। ବାଲିଅନ୍ତା ଭିଡ଼ ହିଂସା ପରେ ମୁଖ୍ୟମନ୍ତ୍ରୀ ନିଜେ ଆଇନଶୃଙ୍ଖଳା କୁ ନେଇ ସମୀକ୍ଷା କରି ଓଡ଼ିଶା ପୋଲିସକୁ ତାଗିଦ କରିଥିଲେ । ଆଉ ଏବେ ଭୁଶୁଡ଼ି ପଡିଥିବା ଆଇନ ଶୃଙ୍ଖଳାରେ ସୁଧାର ଆଣିବା ପାଇଁ ଆକ୍ସନ ମୋଡ଼କୁ ଆସିଛନ୍ତି ଡିଜିପି ୱାଇ. ବି.ଖୁରାନିଆ। ଅପରାଧୀଙ୍କ ପାଇଁ ଓଡିଶାରେ ସ୍ଥାନ ନଥିବା ସିଧାସଳଖ ଶୁଣାଇ ଦେଇଛନ୍ତି।

ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ବୁର୍ଲା ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଡିଜିପି । ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କ ବିରୋଧରେ ଏନବିଡବ୍ଲୁ ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି । ୫୦ ରୁ ଉର୍ଦ୍ଧ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିଭଳି ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖା ଯାଇଛି।

Advertisement

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟ କରୁଛନ୍ତି । ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ କଡା ନଜର ରହିଛି। ଖଣିଜ ଚୋରା ଚାଲାଣକାରୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉଛି । ଖଣି ମାଫିଆଙ୍କ ଉପରେ ନଜର ରହିଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ ଟି ମାମଲା ରୁଜୁ ହୋଇଛି । ଗୋଚାଲାଣ କ୍ଷେତ୍ରରେ ମଧ୍ୟ ୫ ଟି ମାମଲା ରୁଜୁ କରାଯାଇଛି। ସଡକ ସୁରକ୍ଷା କ୍ଷେତ୍ରରେ ମଧ୍ୟରେ ଅମାନିଆ ଡ୍ରାଇଭର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆଗକୁ ଏହି ସ୍ପେଶାଲ ଡ୍ରାଇଭ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି । ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି ଡିଜିପି । କିନ୍ତୁ ଯେଉଁମାନେ ବାରମ୍ବାର ଆଇନକୁ ହାତକୁ ନେଉଛନ୍ତି ସେମାନେ ପୋଲିସ ର ଗୁଳି ଖାଇବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ଡିଜିପି।

Advertisement

Leave a Reply

Your email address will not be published. Required fields are marked *