କିଛି ମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। ଲୋକମାନେ ଆଇନକୁ ହାତକୁ ନେଇ ହିଂସାକାଣ୍ଡ ଘଟାଉଥିବା ବେଳେ ହତ୍ୟା ଓ ଆକ୍ରମଣ ଜନିତ ଅପରାଧିକ କାଣ୍ଡ ବଢ଼ିବାରେ ଲାଗିଛି। ଏଥିପାଇଁ ପୋଲିସ ବିଭାଗକୁ କଡା ସମାଲୋଚନା କରାଯାଉଛି। ନିକଟରେ ଆଇନଶୃଙ୍ଖଳାକୁ ନେଇ ହୋଇଥିବା ବୈଠକରେ ପୋଲିସକୁ ସାଧାରଣ ଲୋକଙ୍କ ବନ୍ଧୁ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। ହେଲେ କାର୍ଯ୍ୟଶୈଳୀ ଓ ତ୍ରୁଟି ପାଇଁ ପୋଲିସ ଅବିଶ୍ୱାସର ପାତ୍ର ହେଉଥିବା ଦେଖିବାକୁ ମିଳୁଛି। ନିକଟରେ ଏଭଳି କିଛି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଅଧିକାରୀଙ୍କ ପାଇଁ ପୁରା ପୋଲିସ ବିଭାଗ ବଦନାମ ମୁଣ୍ଡାଉଛି ବୋଲି ଚର୍ଚ୍ଚା ହେଉଛି। କେଉଁଠି ପୋଲିସ ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ରଖୁଥିବା ବେଳେ ଆଉ କେଉଁଠି ସୁନା ଅଳଙ୍କାର କିଣି ଟଙ୍କା ଦେଉନାହିଁ। ଏପରିକି ପୋଲିସ ତଦନ୍ତରେ ତ୍ରୁଟି ପାଇଁ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଥାନା ହାଜତରେ ରହିବାକୁ ପଡୁଛି। ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ ଏଭଳି ଏକାଧିକ ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଯାହାକୁ ନେଇ “ହ୍ୟାଙ୍ଗର ଷ୍ଟୋରି” ପକ୍ଷରୁ ଏହି ସ୍ପେଶାଲ ରିପୋର୍ଟ ଉପରେ ଥରେ ନଜର ପକାଇ ଦିଅନ୍ତୁ ।
ୱାରେଣ୍ଟି ବଦଳରେ ନିର୍ଦ୍ଦୋଷଙ୍କୁ ଉଠାଇ ଆଣିଲା ପୋଲିସ
ୱାରେଣ୍ଟରେ ଜଣକ ନାଁ ଥିବାବେଳେ ଅନ୍ୟ ଜଣକୁ ଉଠାଇ ଆଣିଥିଲା କେନ୍ଦ୍ରାପଡା ପୋଲିସ। କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଗାଁର ମଧୁସୂଦନ ପ୍ରଧାନଙ୍କ ପୁଅ ହୃଷିକେଶଙ୍କ ନାଁରେ ଏକ ପୁରୁଣା ମାମଲା ଥିବାରୁ ତାଙ୍କୁ ଧରିବାକୁ ପୋଲିସ ଟିମ୍ ଯାଇଥିଲା। ହେଲେ ମଧୁସୂଦନଙ୍କ ପୁଅଙ୍କୁ ଧରିବା ବଦଳରେ ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହୃଷିକେଶଙ୍କୁ ଉଠାଇ ଆଣିଥିଲା। ୧୨ ଘଣ୍ଟା ପରେ ପୋଲିସ ଭୁଲ ବୁଝିପାରି ତାଙ୍କୁ ଛାଡ଼ିଥିଲା। ତେବେ ଏଥିପାଇଁ ତାଙ୍କ ବାହାଘର ପ୍ରସ୍ତାବ ଭାଙ୍ଗି ଯାଇଥିଲା।
ହତ୍ୟା ମାମଲାରେ ନିର୍ଦ୍ଦୋଷଙ୍କୁ ଉଠାଇ ଆଣି ରାତିଅଧିଆ ଛାଡ଼ିଲା
ନୟାଗଡ଼ ଜିଲ୍ଲା ଓଡ଼ଗାଁ କଦଳୀବନ୍ଧ ଗାଁରେ ଅଜିତ ସାହୁ ହତ୍ୟା ଘଟଣାରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ଆଣି ରାତିଅଧିଆ ଛାଡିଥିଲା। ପୋଲିସର ଏହି ତ୍ରୁଟି ପାଇଁ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଅଜିତ ହତ୍ୟା ଘଟଣାରେ ତାଙ୍କ ବାପା ସଦାଶିବ ଥାନାରେ ଦେଇଥିବା ଅଭିଯୋଗରେ ଶ୍ରୀଧର ସାହୁଙ୍କ ନାଁ ରହିଥିଲା। ହେଲେ ତଦନ୍ତ ବେଳେ ହତ୍ୟା ଘଟଣାରେ ଶ୍ରୀଧରଙ୍କ ହାତ ନଥିବା ଜଣାପଡ଼ିଥିଲା। ତଥାପି ପୋଲିସ ଶ୍ରୀଧରଙ୍କ ସମେତ ୪ ଜଣଙ୍କ ମୁହଁ ଘୋଡାଇ ସାମ୍ବାଦିକ ସମ୍ମିଳନୀ କରିଥିଲା। ସେହି ସମୟରେ ଶ୍ରୀଧର ମୁହଁରୁ କପଡା ଖୋଲି ଗଣମାଧ୍ୟମ ଆଗରେ ନିର୍ଦ୍ଦୋଷ ବୋଲି କହିବା ପରେ ପୋଲିସ ତାଙ୍କୁ ଛାଡି ଦେଇଥିଲା ।
ଗଞ୍ଜେଇ ମାଫିଆଙ୍କୁ ସହଯୋଗ, ତତ୍କାଳୀନ ଝାରବନ୍ଧ ଥାନାଧିକାରୀ ନିଲମ୍ବିତ
ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଘଟଣାରେ ତତ୍କାଳୀନ ଝାରବନ୍ଧ ଥାନା ଅଧିକାରୀ ଶୁକୃ ମାଢିଙ୍କୁ ପୋଲିସ ଡିଜି ନିଲମ୍ବିତ କରିଥିଲେ। ଏପ୍ରିଲ ୬ରେ ଧରାପଡ଼ିଥିବା ଜଣେ ଗଞ୍ଜେଇ ବେପାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସହଯୋଗ କରିବା ନେଇ ବଡ଼ଗଡ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏସପି ଜଣେ ଏଏସଆଇ ସମେତ ୩ଜଣଙ୍କୁ ନିଲମ୍ବିତ କରିଥିଲେ। ତେବେ ବିଭାଗୀୟ ତଦନ୍ତ ପରେ ପ୍ରମାଣ ମିଳିବାରୁ ଇନ୍ସପେକ୍ଟର ଶୁକୃଙ୍କ ବିରୋଧରେ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ସୁନା ଅଳଙ୍କାର କିଣି ଟଙ୍କା ନଦେବାରୁ ଏସଡିପିଓ ନିଲମ୍ବିତ
ସୁନା ଅଳଙ୍କାର କିଣି ଟଙ୍କା ନ ଦେବାରୁ ଗଞ୍ଜାମ ଜିଲ୍ଲା ଆସିକା ଏସଡିପିଓ ସନ୍ତୋଷ ଜେନା ଚାକିରିରୁ ନିଲମ୍ବିତ ହୋଇଥିଲେ। ତାଙ୍କ ବିରୋଧରେ ପୋଲିସ ଡିଜି ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏସଡିପିଓ ଜେନା ଆସିକା ଅଞ୍ଚଳର ଏକ ସୁନା ଦୋକାନରୁ ଅଳଙ୍କାର ନେଇ ଟଙ୍କା ଦେଉନଥିଲେ। ଏନେଇ ସମ୍ପୃକ୍ତ ଦୋକାନୀ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
ଡିଏସପିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଗଞ୍ଜାମ ଜିଲ୍ଲାର ଡିଏସପି ବିବେକାନନ୍ଦ ସ୍ୱାଇଁଙ୍କ ନାଁରେ ଡିଜିପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୧୬ ବର୍ଷ ଧରି ସେ ଗଞ୍ଜାମ ଜିଲ୍ଲା ଛାଡୁନଥିବା, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜନୈକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଗୃହ ବିଭାଗକୁ ଅବଗତ କରାଯାଇଥିଲା। ବିଭାଗ ପକ୍ଷରୁ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି।
ସୌମ୍ୟ ହତ୍ୟା ମାମଲାରେ ଏଡିଜିଙ୍କ କାରନାମା ପଦାକୁ ଆସିଲା
ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଜଣେ ଏଡିଜି ପାହ୍ୟା ଅଫିସରଙ୍କ କାରନାମା ଚର୍ଚ୍ଚାର ପରିସରକୁ ଆସିଥିଲା। ସୌମ୍ୟଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ଏଡିଜିଙ୍କ ଘରେ ବ୍ୟକ୍ତିଗତ କାମରେ ଲାଗିଥିଲେ। ଏପରିକି ସୌମ୍ୟ ଭୁବନେଶ୍ୱରରେ ଥିବା ଏଡିଜିଙ୍କ ଜିମ୍ ସେଣ୍ଟର ମଧ୍ୟ ବୁଝାବୁଝି କରୁଥିଲେ। ତେବେ କିଛିମାସ ତଳେ ଏଡିଜିଙ୍କ ସହ ସୌମ୍ୟଙ୍କ ବିବାଦ ହୋଇଥିଲା। ଏହାପରେ ସମ୍ପୃକ୍ତ ଏଡିଜିଙ୍କ ଇଙ୍ଗିତରେ କଟକ ଜିଆରପି ଏସପି ଅଫିସ ପକ୍ଷରୁ ସୌମ୍ୟଙ୍କ ଦରମା ବନ୍ଦ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

