ନିଜସ୍ୱ ସ୍ୱାର୍ଥ ପାଇଁ ସିୟୁଓରେ କିଛି ଶିକ୍ଷକଙ୍କ ପୃଷ୍ଠପୋଷକତାରେ ଛାତ୍ର ଆନ୍ଦୋଳନ !

Advertisement

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି । ଯେଉଁ ସମୟରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି, ସେହି ସମୟରେ କିଛି ପ୍ରାଧ୍ୟାପକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଛାତ୍ରଛାତ୍ରୀଙ୍କୁ ମୋହରା କରାଯାଉଥିବା ଅଭିଯୋଗ ହୋଇଛି । ଏହାଫଳରେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ଛାତ୍ରଛାତ୍ରୀ ମାନଙ୍କ କ୍ୟାମ୍ପସ ଲାଇଫ ଉପରେ ଏହାର ପ୍ରଭାବ ପଡୁଛି । ଯାହାକି ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି ଏବଂ ଶିକ୍ଷାନୁଷ୍ଠାନର ଗରିମାକୁ କ୍ଷୁଣ୍ଣ କରୁଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର କିଛି ବରିଷ୍ଠ ପଦବୀରେ ଥିବା ବ୍ୟକ୍ତିଙ୍କ ନିଯୁକ୍ତିକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅର୍ଥନୀତି ବିଭାଗର ପ୍ରଫେସର ରତିକାନ୍ତ କୁମ୍ଭାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଶିକ୍ଷା ବିଭାଗର ପ୍ରଫେସର ଭରତ ପଣ୍ଡା ମାତ୍ର ୫ ବର୍ଷର ଅଭିଜ୍ଞତା ଥାଇ କିଭଳି ପ୍ରଫେସର ପଦବୀ ହାସଲ କଲେ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପଟେ, ସୋସିଓଲୋଜି ବିଭାଗର ମୁଖ୍ୟ ଡଃ କପିଳ ଖେମୁଣ୍ଡୁଙ୍କ ଆସୋସିଏଟ ପ୍ରଫେସର ପଦୋନ୍ନତି ଏକ ବଡ଼ ଦୁର୍ନୀତିର ଖୋରାକ୍ ଯୋଗାଇଛି । ଅଭିଯୋଗ ଅନୁଯାୟୀ, ୟୁଜିସି ଯୋଗ୍ୟତା ମାପଦଣ୍ଡ ପୂରଣ କରିନଥିଲେ ମଧ୍ୟ ତାଙ୍କୁ ସହଯୋଗୀ ପ୍ରାଧ୍ୟାପକ ଭାବେ ପଦୋନ୍ନତି ଦିଆଯାଇଛି । ଡଃ ରତିକାନ୍ତ କୁମ୍ଭାରଙ୍କୁ ପ୍ରଥମ Executive Committee ପ୍ରତ୍ୟାଖ୍ୟାନ କରିଥିଲେ ହେଁ, ପରବର୍ତ୍ତୀ ସମୟରେ ପ୍ରାକ୍ତନ କୁଳପତି ମାତ୍ର ୬ ମାସ ମଧ୍ୟରେ ତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ, ଏହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement

ନିଜର ପରିଚୟ ଗୋପନ ରଖି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଶିକ୍ଷକ ନିଜର ବ୍ୟକ୍ତିଗତ ସ୍ଵାର୍ଥ ସହ ରାଜନୈତିକ ଫାଇଦା ପାଇଁ ଛାତ୍ରଛାତ୍ରୀଙ୍କୁ ଜାତି ଜାତଆଧାରରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି । ବିଶ୍ୱବିଦ୍ୟାଳୟ ପରି ଏକ ପବିତ୍ର ଅନୁଷ୍ଠାନରେ ଜାତିବାଦର ବିଷ ମଞ୍ଜି ବୁଣି ଶିକ୍ଷକମାନେ ନିଜର ଗୋଷ୍ଠୀ କନ୍ଦଳକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି । ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଏହି ଶିକ୍ଷକମାନଙ୍କ ପ୍ରୋତ୍ସାହନରେ କ୍ୟାମ୍ପସରେ ବାରମ୍ବାର ଅନାବଶ୍ୟକ ବିବାଦ ଓ ପ୍ରତିବାଦ କରାଯାଉଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାଭାବିକ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି । ଯେଉଁ ସମୟରେ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଢ଼ିବା କଥା, ସେହି ସମୟରେ ସେମାନଙ୍କୁ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କରି ନିଜର ଆୟୁଧ ଭାବେ ବ୍ୟବହାର କରାଯାଉଛି ।

ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, କିନ୍ତୁ ଏହି ଅନ୍ତଃ-କନ୍ଦଳ, ଜାତିବାଦୀ ରାଜନୀତି ଏବଂ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦୋନ୍ନତିରେ ଦୁର୍ନୀତି ଅଭିଯୋଗ କ୍ୟାମ୍ପସର ପରିବେଶକୁ ବିଷାକ୍ତ କରୁଛି । ଏହା ବ୍ୟତୀତ କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପ ମଧ୍ୟ ଛାତ୍ର ଅଶାନ୍ତିକୁ ତୀବ୍ର କରୁଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟାଘାତ ନହେବା ପାଇଁ ଅଭିଭାବକ ମହଲରୁ ଦାବି ହେବା ସହ ଶିକ୍ଷା ମନ୍ତ୍ରଣାଳୟ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ ପ୍ରାଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଆଣିବାକୁ ସାଧାରଣରେ ଦାବି ହେଉଛି ।

Advertisement

Leave a Reply

Your email address will not be published. Required fields are marked *