ପ୍ରାୟ ଦୁଇ ବର୍ଷ ହେବ ଅଧାଗଢ଼ା ମନ୍ତ୍ରିମଣ୍ଡଳରେ ଚାଲିଛି ସରକାର । ବେଶ କିଛି ଦିନ ପରେ ପୁଣି ତାଜା ହୋଇଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ଦିଲ୍ଲୀରେ ଡେରା ପକାଇଛନ୍ତି ୬ ବିଧାୟକ । ଓଡିଶା ଭବନରେ ଏମାନେ ରହିଥିବା ବେଳେ ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୬ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକ ରହିଛନ୍ତି । ଅଭିନେତା ଭାବେ ପୂର୍ବରୁ ବେଶ ସୁନାମ ଅର୍ଜନ କରିଥିବା ଏ ବିଧାୟକଙ୍କ ନାଁ ଲିଷ୍ଟରେ ଥିବା ଜଣାପଡିଛି । ସେହିପରି କେନ୍ଦ୍ରାପଡା, ଅନୁଗୁଳ ,ମୟୁରଭଞ୍ଜ ,ଯାଜପୁର, ବରଗଡ଼ ଜିଲ୍ଲାରୁ ଅନ୍ୟ ୪ ଜଣ ଥିବା ଜଣାପଡିଛି । ବିଧାୟକଙ୍କ ନାଁ ରେ ଓଡିଶା ଭବନ ରୁମ ବୁକ ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବାରୁ ନୂଆ ମନ୍ତ୍ରୀପଦ ନୂତନ ବିଧାୟକଙ୍କୁ ମିଳିପାରେ ବୋଲି ପାୱାର କରିଡର ରେ ଚର୍ଚ୍ଚା ଜୋର ଧରିଛି।
କିଛି ଦିନର ନିରବତା ପରେ ଶାସକ କ୍ୟାମ୍ପକୁ ଘାରିଛି ମନ୍ତ୍ରିମଣ୍ଡଳ ଚିନ୍ତା । ଦୁଇ ବର୍ଷ ହେବ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ । ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରନ୍ତି, ତେବେ କିଏ ପାଇବେ ସ୍ଥାନ । ବରିଷ୍ଠ ନା କନିଷ୍ଠ । ଏହାକୁ ନେଇ ପାଓ୍ବାର କରିଡରରୁ ପଦ୍ମ କ୍ୟାମ୍ପର ଅନ୍ଦର ମହଲ ଯାଏଁ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ଓ ଦାବି । ପୂର୍ବରୁ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ, ମନ୍ତ୍ରୀ ପଦ ଖାଲି ଅଛି । ତେଣୁ ଚର୍ଚ୍ଚା ହେବା ସ୍ବାଭାବିକ । ଖାଲି ପଡିଥିବା ମନ୍ତ୍ରୀ ପଦ ପୂରଣ ହେବ କି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ମୁଖ୍ୟମନ୍ତ୍ରୀ ଚାହିଁଲେ ଏକାକୀ ମନ୍ତ୍ରିମଣ୍ଡଳ ଚଳାଇବେ । ଦଳରେ ବରିଷ୍ଠ ଓ ଅଭିଜ୍ଞର କୌଣସି ମୂଲ୍ୟ ନାହିଁ ।
କେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ, ତାକୁ ନେଇ ଜାରି ରହିଛି ସସପେନ୍ସ । ୨୨ ମାସ ହେବ ୬ ଟି ମନ୍ତ୍ରୀ ପଦ ଖାଲି ପଡିବା ଓ ଅନେକ ମନ୍ତ୍ରୀଙ୍କ ଯୋଗୁଁ ସରକାର ବଦନାମ ହୋଇଥିବା ଅଭିଯୋଗ ହେଉଛି । ତେଣୁ ସବୁକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ଓ କିଏ ବାଦ ପଡିବେ ସେନେଇ କସରତ ଚାଲିଛି । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ, କେନ୍ଦ୍ରୀୟ ନେତାଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ କିଏ ଇନ୍ ଓ କିଏ ହେବେ ଆଉଟ୍, ତାକୁ ନେଇ ଚାଲିଛି ମାନସ ମନ୍ଥନ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଗୋଟିଏ ଗୋଷ୍ଠୀର ଜଣେ ବିଧାୟକଙ୍କ ମନ୍ତ୍ରୀପଦ କଟିପାରେ । ଦଳରେ ରହି ଦଳ ବିରୋଧୀ ଚାଲ ଚଳାଉଥିବା ଏହି ଗୋଷ୍ଠୀ ସମ୍ପର୍କରେ କୁଆଡେ ନିଜେ ମୁଖ୍ୟମନ୍ତ୍ରୀ , ସଂଗଠନ ମନ୍ତ୍ରୀ ଓ ରାଜ୍ୟ ସଭାପତି ଜାଣିବା ପରେ କେନ୍ଦ୍ରକୁ ଲିଖିତ ଭାବେ ଜଣାଇଛନ୍ତି । ଆସନ୍ତା ସୋମବାର ସୁଦ୍ଧା ଶାସକ ଦଳ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

