ବିଜେପି ଏମଏଲଏ ଙ୍କ ବ୍ଳାଙ୍କ ଫାୟାରିଂ

Advertisement

ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା। ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ଏହି ଘଟଣାଟି ଡବଲ ଇଂଜିନ ସରକାରରେ ବିଜେପି ବିଧାୟକଙ୍କ ଔଦ୍ଧତ୍ୟର ନଗ୍ନ ଚିତ୍ର ବୋଲି ବିଜୁ ଜନତା ଦଳ କହିଛି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ଟିଟିଲାଗଡର ବିଧାୟକ ନବୀନ ଜୈନ ସରକାରୀ ଦଳର ବିଧାୟକ ହୋଇ ସରକାରୀ ନ୍ୟାୟ ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ଟିଟିଲାଗଡ ପରି ଶାନ୍ତିପୂର୍ଣ୍ଣ ଜାଗାରେ ସର୍ବସାଧାରଣରେ ଗୁଳି ଫୁଟାଇବା ଏକ ଧର୍ତ୍ତବ୍ୟ ଅପରାଧ । ତେଣୁ ଏହି ଅପରାଧର ସଂଜ୍ଞାନ ନେଇ ରାଜ୍ୟ ପୋଲିସ ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରନ୍ତୁ । ଏହିଭଳି ଅମାନବୀୟ ଘଟଣା ନବୀନ ଜୈନଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ହୋଲି ଶୋଭାଯାତ୍ରାରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଜଣେ କର୍ମୀଙ୍କୁ ଏକ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ। ଫଳସ୍ୱରୁପ ସଂପୃକ୍ତ କର୍ମୀଜଣକ ସେଠାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଏହି ଘଟଣାରେ ଯେହେତୁ ସେ ସରକାରୀ ଦଳର ବିଧାୟକ ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଫଳରେ ତାଙ୍କର ଅଂହକାର ଏବଂ ଔଦ୍ଧତ୍ୟତା ଆହୁରି ବଢି ଭୟଙ୍କର ରୂପ ନେଉଛି । ଯାହା ଟିଟିଲାଗଡ ଏବଂ ରାଜ୍ୟବାସୀ ପାଇଁ ଶୁଭଙ୍କର ନୁହେଁ।

Advertisement

ଅନ୍ୟପଟେ ଡ. ମହାନ୍ତି ମଧ୍ୟ କହିଥିଲେ, ବିଜେପି ସରକାରର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଖୋଲାଖୋଲି ଭାବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି। କେଉଁଠି ଏକ ବିଧାୟକ ସର୍ବସାଧାରଣରେ ଗୁଳି ଫୁଟେଇଲେଣି ତ ଆଉ କେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ଆଇନକୁ ଫୁ କରି ବିନା ହେଲମେଟରେ ବିଶୃଙ୍ଖଳିତ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି । ସେହିଭଳି ରାଜଧାନୀର ରାଜରାସ୍ତାରେ ଏକ ଘରୋଇ ଗାଡିରେ ନାଲିବତୀ ଲଗାଇ ବିଜେପି କର୍ମୀମାନେ ବିଶୃଙ୍ଖଳା କରୁଥିଲା ବେଳେ କମିଶନରେଟ ପୋଲିସ ନୀରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

Advertisement

Leave a Reply

Your email address will not be published. Required fields are marked *