ଜନଗଣନା ନାଁରେ ଆକାଉଣ୍ଟ ଖାଲି

ଛାତି ଥରାଉଛନ୍ତି ସାଇବର ସୈତାନ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ଟଙ୍କା । ଏବେ ଠକଙ୍କ ସ୍କାନରରେ ସରକାରୀ ଯୋଜନା। ଜନଗଣନା ୨୦୨୭ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସୁବିଧାର ସାମ୍ନା ତଥା ଅଘଟଣର ଶିକାର ହେବା କଥା ସମସ୍ତେ ଶୁଣିଥିବେ। କିନ୍ତୁ ଜନଗଣନା ନାଁରେ ବ୍ୟାଙ୍କ ତଥ୍ୟ ମାଗିବା, ଓଟିପି ସେୟାର କରିବା କଥା କହି ସାଇବର ଲୁଟେରା ଆକ୍ଟିଭ ହେବା ପରେ ଏବେ ଓଡିଶା ପୋଲିସର ଚିନ୍ତା ବଢିଛି।

ଜନଗଣନାରେ ନିୟୋଜିତ କର୍ମଚାରୀ କୌଣସି ପ୍ରକାର ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗନ୍ତି ନାହିଁ । ଯଦି କୌଣସି ଲୋକ ବା ଏକାଧିକ ଲୋକ ଆକାଉଣ୍ଟ ନମ୍ବର, ଓଟିପି ମାଗନ୍ତି ତେବେ ତୁରନ୍ତ ୧୯୩୦ରେ ଅଭିଯୋଗ କରିବା ପାଇଁ ସଚେତନ କରିଛି ଓଡିଶା ପୋଲିସ । ସାଇବର ଠକ ଏବେ ନିରୀହ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ତରିକା ଅବଲମ୍ବନ କରିଥିବା ଘଟଣା ସାମ୍ନାକୁ ଆସିଛି।

ସରକାରୀ କାମ କରିବାକୁ କହି ନୂଆ ନୂଆ ରୂପରେ ଠକେଇ କଥା ଆଗରୁ ପଦାକୁ ଆସିଛି। ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ଲିଙ୍କ ଅଭିଯୋଗ ନେଇ ବଢ଼ୁଥିଲା ଠକେଇ ।ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର ର ତଥ୍ୟ ମୁତାବକ ୨୦୨୫ ରେ ସାରା ଦେଶରେ ୧୯ ହଜାର ୮ ଶହ ୧୨ କୋଟି ଟଙ୍କାର ଠକେଇ ହୋଇଛି। ୨୦୨୪ ରେ ସାରା ଦେଶରୁ ଲୂଟ ହୋଇଛି ୧୩ ହଜାର କୋଟି ରୁ ଉର୍ଦ୍ଧ ଟଙ୍କା ।

ଏଣୁ ଏବେ ନିଜେ ସଚେତନ ହେବାର ସମୟ ଆସିଛି । ଗୋଲ୍ଡେନ ଆୱାର ବା ଘଟଣା ଘଟିବାର ୩ ଘଣ୍ଟା ମଧ୍ୟରେ ଟୋଲ ଫ୍ରି ନମ୍ବର ରେ ତୁରନ୍ତ କଲ କରିବାକୁ ସଚେତନ କରିଛନ୍ତି ବିଶେଷଜ୍ଞ । ଡିଜିଟାଲ ଇଣ୍ଡିଆ ଯୁଗରେ ବଢୁଛି ଡିଜିଟାଲ ଠକେଇ । ସାମାନ୍ୟ ସଚେତନ ଓ ସାବଧାନ ନହେଲେ ଆପଣ ବି ହରାଇ ପାରନ୍ତି ଜୀବନ ଯାକର ପୁଞ୍ଜି ।

Leave a Reply

Your email address will not be published. Required fields are marked *