ଦିନକ ତଳେ ଏନକାଉଣ୍ଟର କରି ବାଃ ବାଃ ନେଉଥିଲେ ଡିଜିପି । ସାରା ରାଜ୍ୟରେ ଯେଉଁମାନେ ଅପରାଧ ଘଟାଇବେ, ସେମାନଙ୍କୁ ଏନକାଉଣ୍ଟର କରାଇବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ଏ କଣ’ ? ଡିଜିଙ୍କ କଥାକୁ କଣ’ ଏମିତି ମାନିଲେ ଅପରାଧୀ ? ନାଁ ଡିଜିଙ୍କ ଚେତାବନୀ ପରେ ଆହୁରି ରକ୍ତମୁଖା ହେଲେ ? ରବିବାର ବ୍ରହ୍ମପୁରର ଲାଞ୍ଜିପଲ୍ଲୀରେ ଜଣେ ପେଷାଦାର ଅପରାଧୀଙ୍କୁ ଏନ୍କାଉଣ୍ଟର କରି ବାହାବା ନେବାର ୨୪ ଘଣ୍ଟା ନପୂରୁଣୁ ବ୍ରହ୍ମପୁରର ଜନଗହଳି ପୂର୍ଣ୍ଣ ଗିରିରୋଡ଼ ରେ ଜଣେ ଯୁବକ ଓ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରି ଦୁଇଜଣ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
ସୂଚନାନୁସାରେ, ସୋମବାର ରାତି ପ୍ରାୟ ୯ଟା ବେଳେ ମାଡ଼ଖାଇଥିବା ଯୁବକ ଓ ତାଙ୍କର ବାନ୍ଧବୀ ଗିରିରୋଡ଼ ରେ ରାସ୍ତାକଡ଼ରେ ଥିବା ଏକ ଫାଷ୍ଟ୍ଫୁଡ୍ କେନ୍ଦ୍ରକୁ ଖାଇବାକୁ ଆସିଥିଲେ। ଏହି ସମୟରେ ଦୁଇଜଣ ଯୁବକ ହକିଷ୍ଟିକ୍ ଓ ଠେଙ୍ଗା ଧରି ସେଠାରେ ପହଞ୍ଚି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯୁବକ ଜଣକ ତଳେ ପଡ଼ି ସହାୟତା ପାଇଁ ଚିତ୍କାର କରୁଥିବା ବେଳେ ଯୁବତୀ ଜଣକ ମଧ୍ୟ ତାଙ୍କୁ ବଂଚେଇବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ।
କିନ୍ତୁ ଆକ୍ରମଣକାରୀ ଯୁବକମାନେ କୌଣସି କଥା ନଶୁଣି ଉଭୟଙ୍କୁ ଆଖିବୁଜା ମାଡ଼ ମାରିଚାଲିଥିଲେ। ଜଣେ ଆକ୍ରମଣକାରୀ ତଳେ ପଡ଼ିଥିବା ଯୁବକଙ୍କ ମୁଣ୍ଡ ଓ ପିଠିକୁ ମାଡ଼ ମାରୁଥିବା ବେଳେ ଅନ୍ୟଜଣେ ଗୋଡ଼ ଉପରେ ପାହାର ଉପରେ ପାହାର ବସାଉଥିଲେ। ଏହି ଘଟଣା ଆଖପାଖର ଶତାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା କିମ୍ବା ଯୁବକ-ଯୁବତୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିନଥିଲେ।
ଏହି ଘଟଣାରେ ସୂଚନା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି। କିନ୍ତୁ ଭିଡ଼ିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୋଲିସର ତତ୍ପରତାରେ ବିଳମ୍ବ ଓ ଦେଖଣାହାରି ମାନସିକତାକୁ ନେଇ ତୀବ୍ର ସମାଲୋଚନା ଓ ଉଦ୍ବେଗ ପ୍ରକାଶ ପାଇଛି।
କିଛିଦିନ ତଳେ କଣାସ, କେନ୍ଦ୍ରାପଡା ଓ ବାଲିଅନ୍ତା ଘଟଣା ଓଡ଼ିଶା ପୋଲିସର ପାରିବାପାଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ମଧ୍ୟ ଏକପ୍ରକାର ଅଡ଼ୁଆ ପରିସ୍ଥିତି ଦେଇ ଗତି କରୁଛନ୍ତି । ଲ’ ଆଣ୍ଡ ଅର୍ଡର ସ୍ଥିତି ଦେଖିବା ପରେ କଡା ଭାଷାରେ ଡିଜିପିଙ୍କୁ ତାଗିଦ କରିଛନ୍ତି ଡିଜିପି । କିନ୍ତୁ ଏତେ ସବୁ ପରେ ମଧ୍ୟ ପୋଲିସ ନାଚାର । ଅପରାଧ ହଲ୍ଲାବୋଲ ଡାକରା ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଏ ଅପରାଧୀ ସାବାଡ଼ ହେଉଛନ୍ତି ଆଉ ଓଡ଼ିଶାରେ ଶାନ୍ତି ଫେରୁଛି ।

