ବଢ଼ିଲା ଟିଟିଲାଗଡ଼ ବିଧାୟକଙ୍କ ଅଡ଼ୁଆ

ସର୍ବସାଧାରଣରେ ଫାଙ୍କାରେ ଗୁଳି ଫୁଟାଇ ଅଡୁଆରେ ଫସିଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ତେଜିଛି ରାଜନୈତିକ ବୟାନବାଜି। ମୁହାଁମୁହାଁ ହୋଇଛନ୍ତି ଶାସକ ଦଳ ଓ ବିରୋଧୀ।

ସର୍ବସାଧାରଣରେ ଗୁଳି ଫୁଟାଇବା ଓ ପରେ ପିସ୍ତଲକୁ ସର୍ବସମ୍ମୁଖରେ ସିନେମା ଷ୍ଟାଇଲରେ ନିଜ ଅଣ୍ଟାରେ ଖୋସି, ଫଶିଯାଇଛନ୍ତି ଟିଟିଲାଗଡ଼ ବିଧାୟକ ନବୀନ ଜୈନ। ସତ ସାମନାକୁ ଆସିବା ପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ବଲାଙ୍ଗୀର ପୁଲିସ। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବଲାଙ୍ଗୀର ଯାଇ ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ବିଧାୟକ ଗୁଳି ଫୁଟାଇଲେ ସେ ନେଇ ପଚାରି ବୁଝିଛନ୍ତି। ଏଥିସହ ଫାଙ୍କା ଗୁଳି ଚାଳନାରେ ବିଧାୟକଙ୍କ ପାଖେ ପାଖେ ରହି ସହଯୋଗ କରୁଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଜଣେ ବିଧାୟକ କିପରି ସର୍ବସାଧାରଣରେ ବ୍ଲାଙ୍କ୍‌ ଫାୟାରିଂ କଲେ ସେ ନେଇ ବର୍ଷିଛି ବିଜେଡି। ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ବିଜେଡି ବିଧାୟକ କହିଛନ୍ତି। ଏଥିସହ ବିଧାୟକ ବ୍ଲାଙ୍କ୍‌ ଫାୟାରିଂ କରିବା ପରେ ପିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଜବାବରେ ଶାସକ ଦଳ କହିଛି, ଯିଏ ବି ହୁଅନ୍ତୁ କେହି ଆଇନର ଉର୍ଦ୍ଦରେ ନୁହଁନ୍ତି। ଭୁଲ କଲେ ଦଣ୍ଡ ମିଳିବ।

ରାମନବମୀରେ ଟିଟିଲାଗଡ଼ ସହରର ରାଧାକୃଷ୍ଣ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀ ନଗର ପରିଭ୍ରମଣ କରୁଥିଲେ। ରାମ ନାମରେ ସମଗ୍ର ସହର ପ୍ରକମ୍ପିତ ହେଉଥିଲା। ଶତାଧିକ ପୁରୁଷ, ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶାସ୍ତ୍ରୀ ଛକରେ ଶୋଭାଯାତ୍ରା ପହଞ୍ଚିବା ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସାମିଲ ହୋଇଥିଲେ। ଅଚାନକ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ପାଖକୁ ଡାକି ହାତରେ କଳା ରଙ୍ଗର ପିସ୍ତଲ ଧରି ଉପରକୁ ଉଠାଇ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *