ମିଠା ମିଠା କଥା କହି, ରାତାରାତି କୋଟିପତି ବନାଇବାର ସ୍ୱପ୍ନ ଯୁବକଙ୍କୁ ମହଙ୍ଗା ପଡିଛି। ଠକ ଧୂପକାଠି କମ୍ପାନୀ ମାଲିକକୁ ବାନ୍ଧିଛି ଭରତପୁର ଥାନା ପୋଲିସ । ମାଲିକ ଜଣଙ୍କ ହେଉଛନ୍ତି ନୀଳଚକ୍ର ଅଗରବତୀ ଓ ଉତ୍କଳ ଇଣ୍ଡଷ୍ଟ୍ରି ର ମାଲିକ ଗୌତମ ପତି। ଭରତପୁର ଥାନା ତାଙ୍କୁ ଗିରଫ କରି ଝାରପଡ଼ା ଜେଲ ପଠାଇଛି । ଅଭିଯୋଗକାରୀ ସୌମ୍ୟଜିତ ସାସମଲଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଚି। ଅଭିଯୋଗ ମୁତାବକ ରୁଚିକା ମାର୍କେଟ୍ ସ୍ଥିତ ନୀଳଚକ୍ର ଅଗରବତୀ ଓ ଉତ୍କଳ ଇଣ୍ଡଷ୍ଟ୍ରିର ମାଲିକ ଅଭିଯୁକ୍ତ ଗୌତମ ପତି ଅଭିଯୋଗକାରୀଙ୍କୁ ଏକ ଅଗରବତୀ ତିଆରି ମେସିନ୍ କିଣିବା ପାଇଁ ପ୍ରଲୋଭିତ କରିଥିଲେ।
ସେ ମେସିନ୍ଟି ପ୍ରତି ଘଣ୍ଟାରେ ୧୦ କିଲୋଗ୍ରାମ ଅଗରବତୀ ଉତ୍ପାଦନ କରିପାରିବ ବୋଲି ଅଭିଯୋଗକାରୀଙ୍କୁ କହିଥିଲେ। ଅଭିଯୁକ୍ତଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ମେସିନ୍ କିଣିବା ପାଇଁ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ମେସିନ୍ ଆଣିବା ପରେ ଅଭିଯୋଗକାରୀ ଦେଖିଥିଲେ ଯେ ମେସିନ୍ଟି ଠିକ୍ ଭାବେ କାମ କରୁନଥିଲା ଏବଂ କୁହାଯାଇଥିବା ପରି ଉତ୍ପାଦନ କରିପାରୁନଥିଲା। ଏହାଛଡ଼ା କିଛି ଦିନ ପରେ ଦିଆଯାଇଥିବା ବିଲ୍ରେ ମେସିନ୍ର ଦାମ କେବଳ ୫୩ ହଜାର ୧୦୦ ଟଙ୍କା ଦର୍ଶାଯାଇଥିଲା ଏବଂ “ଡିପ୍ ଅଏଲ” ଓ “ଅଗରବତୀ ବକ୍ସ” ନାମରେ ଅନ୍ୟାନ୍ୟ ସାମଗ୍ରୀ ଦର୍ଶାଯାଇଥିଲା, ଯାହା ଅଭିଯୋଗକାରୀ ମେସିନ କିଣିବା ସମୟରେ ପାଇନଥିଲେ।
ତଦନ୍ତରୁ ଆହୁରି ଜଣାପଡ଼ିଥିଲା ଯେ, ଅଭିଯୋଗକାରୀ ମେସିନ୍ର ତ୍ରୁଟି ଏବଂ ବିଲ୍ର ଅସଙ୍ଗତି ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଯାଞ୍ଚ ସମୟରେ ଆହୁରି ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଏଭଳି ନକଲି ଓ ତ୍ରୁଟିପୂର୍ଣ୍ଣ ମେସିନ୍ ବିକ୍ରି କରି ଅନ୍ୟ କିଛି ଲୋକଙ୍କ ସହ ମଧ୍ୟ ଠକେଇ କରିଥିବା ଅଭିଯୋଗ ରହିଛି।
ପରବର୍ତ୍ତୀ ତଦନ୍ତ ସମୟରେ ବିଶ୍ୱସ୍ତ ସୂଚନା ଆଧାରରେ ବରମୁଣ୍ଡା ରୁଚିକା ମାର୍କେଟ ଅଞ୍ଚଳରୁ ଅଭିଯୁକ୍ତ ଗୌତମ ପତିଙ୍କୁ ଅଟକ ରଖା ଯାଇଥିଲା। ପଚରାଉଚରା ସମୟରେ ସେ ନିଜର ପରିଚୟ ଦେବା ସହ ଘଟଣାରେ ସମ୍ପୃକ୍ତି ଥିବା କଥା ସ୍ୱୀକାର କରିଥିଲେ। ତଦନ୍ତରେ ଅଭିଯୁକ୍ତ ଗୌତମ ପତିଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ତାଙ୍କୁ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଜାରି ରହିଛି।

