ବୈକୁଣ୍ଠଙ୍କ ବୈକୁଣ୍ଠପୁରୀ ଦେଖି ଭିଜିଲାନ୍ସ ଜଳକା

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନ୍ଧମାଳଜିଲ୍ଲା ବାଲିଗୁଡ଼ା ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ପଶିଲା ଘରେ ଭିଜିଲାନ୍ସ । ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ସଂପତ୍ତି ଦେଖି ତାଜୁବ୍ ହୋଇଯାଇଛନ୍ତି ଭିଜିଲାନ୍ସ ଟିମ୍। ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ୫ଟି ବହୁମହଲା କୋଠା, ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଥିବା ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ଠାବ କରିଛି।

ଏହାଛଡ଼ା ତାଙ୍କ ଘରୁ ନଗଦ ୨ଲକ୍ଷ ୬୬ ହଜାର ଟଙ୍କା ମିଳିଛି। ବିପୁଳ ପରିମାଣର ସୁନା, ହୀରା ଓ ରୁପା ଅଳଙ୍କାର ବି ଠାବ ହୋଇଛି। ଏଣେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଦୁଇଟି ଲକର୍ ଏଯାବତ୍ ଖୋଲାଯାଇ ନଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏଥିମଧ୍ୟରୁ ଗୋଟିଏ ଭୁବନେଶ୍ବରର ଆକ୍ସିସ୍ ବ୍ୟାଙ୍କ ଓ ଆରଟି ୟୁବିଆଇରେ ଥିବା ଜଣାଯାଇଛି।

ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି। ତାଙ୍କର ଭୁବନେଶ୍ୱର, ବାରିପଦା, ଧର୍ମଶାଳା (ଯାଜପୁର) ଏବଂ ବାଲିଗୁଡ଼ା (କନ୍ଧମାଳ) ରେ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ବାରମ୍ବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହେଉଛି । ଲାଞ୍ଚ ନନେବାକୁ ସରକାରୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଉଛି। ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହେଉଛି । ତଥାପି ମଧ୍ୟ ଲାଞ୍ଚ ଟଙ୍କା ନେବାରେ ସରକାରୀ ବାବୁ ପଛଘୁଞ୍ଚା ଦେଉନାହାନ୍ତି । ଯେଉଁଥିପାଇଁ ବାରମ୍ବାର ଏଭଳି ଅଭିଯୋଗ ସାମ୍ନାକୁ ଆସୁଛି ଓ ବାରମ୍ବାର ଭିଜିଲାନ୍ସ ଜାଲରେ ପଡୁଛନ୍ତି ବଡବଡ଼ିଆ ।

Leave a Reply

Your email address will not be published. Required fields are marked *