ଦୁଇଦିନ ତଳେ କଳା କାରରେ ଧଳା ଜହର କାରବାର ହେଉଥିବା ବେଳେ ମାଡି ବସିଥିଲା ଅବକାରୀ ବିଭାଗ। ପୂର୍ବରୁ ଏକାଧିକ ଥର ନିଶା କାରବାର ଅଥବା ସଂଗଠିତ ଅପରାଧରେ ଲକ୍ଜରି ଗାଡିର ବ୍ୟବହାର କରାଯାଉଥିଲା । ଏବେ କିନ୍ତୁ ଆଉ ଗଳା ବାଟରେ ଖସିପାରିବେନି ଗାଡି ମାଲିକ ।ବେଆଇନ୍ କାର୍ଯ୍ୟରେ ନିଜ ଗାଡ଼ିକୁ ନିୟୋଜିତ କରୁଥିବା ବ୍ୟକ୍ତି ଆଇନର ହାତରୁ ଖସି ପାରିବେ ନାହିଁ। ଏଥିପାଇଁ ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ମାଲିକାନା ପରିବର୍ତ୍ତନ, ହାଇପୋଥିକେସନ ସହ ଡିଏଲ୍ରେ ଠିକଣା ପରିବର୍ତ୍ତନ ଭଳି କାର୍ଯ୍ୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ଗାଡ଼ି ମାଲିକଙ୍କ ଠିକଣା, ପରିଚୟ ଓ ଆରଟିଓ ସୀମା ଆଦିର ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ପରିବହନ ଆୟୁକ୍ତ ସମସ୍ତ ଆରଟିଓ ଏବଂ ଏଆରଟିଓ ମାନଙ୍କୁ ପତ୍ର ଲେଖି ନିର୍ଦେଶର ଅନୁପାଳନ କରିବା ପାଇଁ କହିଛନ୍ତି।
ଏହାଦ୍ୱାରା ଭବିଷ୍ୟତରେ କୌଣସି କାରଣବଶତଃ ଗାଡ଼ି ମାଲିକଙ୍କୁ ନୋଟିସ୍ ପଠାଇବା, ଟିକସ କିମ୍ବା ଜୋରିମାନା ଆଦାୟ କରିବା, ଦୁର୍ଘଟଣା ତଦନ୍ତ ଏବଂ ଅନ୍ୟ ଆଇନଗତ କାର୍ଯ୍ୟ ସମୟରେ ସମସ୍ୟା ଦେଖା ଯିବ ନାହିଁ । ପରିଚୟ ପତ୍ରରେ ଗୋଟିଏ ଠିକଣା ରହିଥିବା ବେଳେ ଆରଟିଓରେ ଦାଖଲ ହୋଇଥିବା କାଗଜପତ୍ରରେ ଅନ୍ୟ ଠିକଣା ରହୁଛି। ଏହାକୁ ଦୃଷ୍ଟିରେ ରଖି ଆବେଦକଙ୍କ ପରିଚୟ ଓ ଠିକଣା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଉଛି।
ନିଷ୍ପତ୍ତି ଅନୁସାରେ ଏଣିକି ଗାଡ଼ି କ୍ରେତାଙ୍କ ରହୁଥିବା ଠିକଣା ଅବା ତାଙ୍କ ବ୍ୟବସାୟ ସ୍ଥାନ ଯାଞ୍ଚ କରାଯିବ। ସବୁ ପ୍ରକାର କାମ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ ହେବ। ଯଦି ଆବେଦନପତ୍ର ଓ ପରିଚୟପତ୍ରରେ ନାମ, ପିତାଙ୍କ ନାମ, ଫୋନ୍ ନମ୍ବର, ଠିକଣା, ଜନ୍ମ ତାରିଖ, ଫଟୋରେ କିଛି ଅସମାନତା ଥାଏ ତା ହେଲେ ତାଙ୍କ ଆବେଦନ ଖାରଜ୍ କରାଯିବ। କେବଳ ଏତିକି ନୁହେଁ ଯେଉଁମାନେ ବାରମ୍ବାର ଟ୍ରାଫିକ ନିୟମ ଖିଲାପ କରି ଗାଡି ଚଳାଉଛନ୍ତି, ସେମାନଙ୍କ ଗାଡି ଜବତ କରାଯିବ ବୋଲି କୁହାଯାଇଛି ।
କେବଳ ସେତିକି ନୁହେଁ, ଓନରସିପ୍ ନବଦଳାଇ ଅନେକ ଗାଡି ମାଲିକ ବେଫିକର ଗାଡି ବିକ୍ରି କରିଦେଉଛନ୍ତି । ପରେ ଏହି ଗାଡି ଯଦି କୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ହୁଏ ତେବେ ମୂଳ ମାଲିକଙ୍କ ପାଇଁ ଅଡ଼ୁଆ ବଢିବ ବୋଲି ଚେତାବନୀ ଦେଇଛି ପରିବହନ ବିଭାଗ।

