ପଶ୍ଚିମବଙ୍ଗରେ ମମତାଙ୍କ ଗାଦିଚ୍ୟୁତ ପରେ ସବୁଠି ଧର୍ମ ଓ ବିଶ୍ୱାସକୁ ନେଇ ଚର୍ଚ୍ଚା। ଭାରତ ବର୍ଷରେ ୪ ଧାମ୍ ଥିବା ସତ୍ତ୍ବେ ଦୀଘାକୁ ଧାମ କହିବା ପରେ ସହିଲେନି କି ମହାପ୍ରଭୁ। ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ‘ଧାମ’ର ଆଖ୍ୟା ଦେବା ଓ ପଥରରେ ମହାପ୍ରଭୁଙ୍କ ବିଗ୍ରହକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ବଢିବା ଦିଦିଙ୍କ ପରାଜୟର କାରଣ ବୋଲି କୁହାଯାଉଛି।
ଓଡ଼ିଶାରେ ବିଜେଡି ସରକାରର ପରାଜୟ ପଛରେ ଯେମିତି ରତ୍ନଭଣ୍ଡାର ଓ ଜଗନ୍ନାଥଙ୍କ ଭାବାବେଗ ଜଡ଼ିତ ଥିଲା ଠିକ୍ ସେହିପରି ବେଙ୍ଗଲରେ ମଧ୍ୟ ସମାନ ଦଶା ଭୋଗିଲେ ବୋଲି କହଛନ୍ତି ଦଇତାପତି ସେବକ ଭବାନୀ ପ୍ରସାଦ ଦାସ ମହାପାତ୍ର। ସେପଟେ ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଜଗନ୍ନାଥଙ୍କ ସହ ଛଳନା ମମତାଙ୍କୁ ଭାରି ପଡିଲା। ଦୀଘାକୁ ଧାମ କରିବାର ଅପଚେଷ୍ଟା, ପଥରରେ ବିଗ୍ରହ ନିର୍ମାଣ ଓ ଦାରୁ ଚୋରି ଭଳି ଅଭିଯୋଗ ଉଠିଥିଲା। ପଶ୍ଚିମବଙ୍ଗ ଶାସକ ଦଳର ଅହଙ୍କାର ବଢ଼ିବାରୁ ଜଗନ୍ନାଥ ଭକ୍ତ ନିର୍ବାଚନରେ ଉଚିତ୍ ଜବାବ ଦେଲେ ବୋଲି କହିଛନ୍ତି ଦଇତାପତି ଭବାନୀ ପ୍ରାସାଦ ଦାସ ମହାପାତ୍ର।
ମହାପ୍ରଭୁ ଜଗନ୍ନାଥଙ୍କ ସହ ଯିଏ ଖେଳିଛି ତାର ଅବସ୍ଥା ସାଂଘାତିକ ହୋଇଛି। ଯାହା ଦିଦିଙ୍କ କ୍ଷେତ୍ରରେ ତାହା ହୋଇଛି। ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି କରିବା ଆଳରେ ଯେମିତି ଜଗନ୍ନାଥଙ୍କୁ ବ୍ୟବହାର କରାଇଛନ୍ତି ତାର ପରିଣାମ ସେ ଭୋଗୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେପଟେ ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ କୋଲକାତା ଜଗନ୍ନାଥ ଭକ୍ତ କହିଛନ୍ତି ଯିଏ ଜଗନ୍ନାଥଙ୍କୁ ନେଇ ରାଜନୀତି କରିଛି, ସିଏ ମାଟିରେ ମିଶିଛି। ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କ ଆରାଧ୍ୟ ନୁହନ୍ତି, ସେ ସାରା ବିଶ୍ୱର ଦେବତା। କୁହାଯାଏ ତାଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିଲେ, ତାଙ୍କୁ ନେଇ ଗର୍ବ ଅହଂକାର ବଢିଲେ ସହି ପାରନ୍ତିନି ମହାପ୍ରଭୁ। ଯାହା ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

